ଗୋଟିଏ ଗ୍ରାମରେ ରାଜାରାମ ନାମକ ଜଣେ ଜମିଦାର ଥା’ନ୍ତି । ତାଙ୍କର ବହୁତ ଗର୍ବଥାଏ ଯେ ନିଜ ଗ୍ରାମ ତଥା ପଡୋଶୀ ଗ୍ରାମମାନଙ୍କ ମଧ୍ୟରେ ତାଙ୍କପରି ବିଦ୍ୟାବୁଦ୍ଧି ଓ ସମ୍ପତ୍ତି ଆଉ କାହାର ମଧ୍ୟ ନାହିଁ । ନଗରରେ ସେ ଯାହାକିଛି ବି ନୂଆ ଦେଖନ୍ତି ତାକୁ ସେ ତୁରନ୍ତ କିଣି ପକାନ୍ତି । ଆଉ ସମସ୍ତିଙ୍କ ଆଗରେ ବଡେଇ ଦେଖେଇ ହୋଇ କୁହନ୍ତି ।
ଦିନେ ଗ୍ରାମଦେବତାଙ୍କ ଚଉତ୍ତରାରେ ଜଣେ ବ୍ୟକ୍ତି ବସିଥିଲେ । ସେ ରାଜାରାମଙ୍କୁ ଦେଖିବା ମାତ୍ରେ କହିଲେ, “ଆପଣ ଜାଣନ୍ତିକି ଆମ ଗ୍ରାମରେ ଗୋବିନ୍ଦର ଶୁଆଟିଏ ଅଛି ସେ ବଡ ବଢିଆ କଥା କୁହେ । ଏକଥା ରାଜାରାମ ଶୁଣିବା ମାତ୍ରେ କୌତୁହଳବଶତଃ ଗୋବିନ୍ଦର ଘରେ ଯାଇ ପହଁଚିଲେ । ସେ ଯେତେ ଗୋବିନ୍ଦକୁ ଡାକିଲେ କେହି ବି କିଛି ଉତ୍ତର ଦେଲେ ନାହିଁ । ଗୋବିନ୍ଦ ତ ସେତେବେଳେ ତା’ବାରିରେ କାମ କରୁଥାଏ । ହଠାତ୍ କେଉଁଠାରୁ ଏକ ସୁନ୍ଦର କୋମଳ ମଧୁର କଣ୍ଠରେ କେହି କହିଲା, “ଘର ଭିତରକୁ ଆସନ୍ତୁ । ଗୋବିନ୍ଦ ବାଡିରେ କାମ କରୁଛନ୍ତି ।” ସେ ଭିତରକୁ ଯାଇ ଦେଖିଲେ କେହି କେଉଁଠି ନାହିଁ; କେବଳ ପିଞ୍ଜରାଟିଏ ପିଣ୍ଡାରେ ଲଟକା ହୋଇଛି ଓ ତା’ ଭିତରେ ଶୁଆଟିଏ ଅଛି । ରାଜାରାମ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ଶୁଆଟି ପୁଣି ଥରେ ସେହି ଏକହିଁ କଥା କହିଲା । ସେତେବେଳେ ଯାଇ ସେ କଥାକୁହା ଶୁଆର କୃତିତ୍ୱ ଠିକ୍ ବୁଝିପାରିଲେ ।
ଠିକ୍ ସେତିକିବେଳେ ଗୋବିନ୍ଦ ଘର ଭିତରକୁ ଆସି ରାଜରାମଙ୍କୁ ଦେଖି କହିଲା, “ଆରେ ଆପଣ ହଠାତ୍ କିପରି ଏହି ସମୟରେ ଆସିଲେ?”