ଜଣେ ଲାମା (ବୌଦ୍ଧ ସନ୍ନ୍ୟାସୀ) ଗୋଟିଏ ପାହାଡ ଗୁମ୍ଫାରେ ରହୁଥାନ୍ତି । ଅଧିକାଂଶ ସମୟ ସେ ଧ୍ୟାନରେ ବସିଥାନ୍ତି ।
ଦିନେ ସଞ୍ଜବେଳେ ଗୋଟିଏ ଦସ୍ୟୁ ସେଠାରେ ଯାଇ ପହଁଚିଲା । ଗୁମ୍ଫା ଭିତରେ କେହି ରହୁନାହାଁନ୍ତି ଭାବି ସେ ଦସ୍ୟୁ ଜଣକ ଗୁମ୍ଫା ଭିତରେ ପଶିଲା । ଅନ୍ଧାରରେ ତ କିଛି ବି ଦେଖାଯାଉ ନଥାଏ । ଏହି ସମୟରେ ହଠାତ୍ ତା କାନରେ ବାଜିଲା ‘ବୁଦ୍ଧଂ ଶରଣଂ ଗଛ୍ୟାମି।’ ଏହା ଥିଲା ଲାମାଙ୍କ ପ୍ରାର୍ଥନା । ତା’ପରେ ଲାମା ଦସ୍ୟୁ ଉପରକୁ ସେ ଧରିଥିବା ବହିଟା ଫିଙ୍ଗିଦେଲେ ।
ଦସ୍ୟୁ ତତ୍କ୍ଷଣାତ୍ ଗୁମ୍ଫା ବାହାରକୁ ଆସି ପାହାଡ ତଳକୁ ଓହ୍ଲାଇଲା । ଏହାପରେ ସେ ଦସ୍ୟୁ ଯାଇ ପହଁଚିଲା ଜଙ୍ଗଲର ଗୋଟିଏ ନଦୀ କୂଳରେ । ସେତେବେଳେ ତ ସେ ନଦୀରେ ବଢି ଆସିଥାଏ; ତେଣୁ ନଦୀ ଉପରର ପୋଲଟି ଖାଲି ଦୋହଲୁଥାଏ । ଦସ୍ୟୁ ଭାବିଲା, ସକାଳ ହେଲେ ପୋଲ ଡେଇଁ ସେ ଆର କୂଳକୁ ଯିବ ।
ସେ ଦସ୍ୟୁ ବଡ ପାଟିରେ ନିଜକୁ ନିଜେ କହିଲା, ‘ପାହାଡ ଉପରକୁ ଯିବା ମୋର ଭୁଲ୍ ହେଲା । ଲାମା ମୋତେ ଏମିତି ଦଣ୍ଡ ଦେଲେ । ତାଙ୍କର ପ୍ରାର୍ଥନା ‘ବୁଦ୍ଧଂ ଶରଣଂ ଗଛ୍ୟାମି’ ଶୁଣି ମୋତେ ଅତ୍ୟନ୍ତ ଭୟ ଲାଗିଲା ।’
ସେତେବେଳକୁ ଠିକ୍ ରାତି ଅଧ । ମଶାଣୀରୁ ଉଠି ଭୂତପ୍ରେତମାନେ ସେ ପୋଲ ନିକଟରେ ଆସି ବୁଲୁଥାନ୍ତି । କେଉଁ ବାଟୋଇ ଆସିଲେ ତାକୁ ମାରି ଖାଇବେ ବୋଲି ସେମାନେ ଅପେକ୍ଷା କରିଥାନ୍ତି । ଦସ୍ୟୁଟି ‘ବୁଦ୍ଧଂ ଶରଣଂ ଗଛ୍ୟାମି’ କହିବା ସେହି ଭୂତମାନେ ଶୁଣିଲେ ।
ତା’ପରେ ସେମାନେ ନିଜ ନିଜ ମଧ୍ୟରେ କଥାହେଲେ, ‘କେହି ଜଣେ ପ୍ରାର୍ଥନା ବୋଲୁଛି । ଆମେ ତା’ର କିଛି କ୍ଷତି କରିପାରିବା ନାହିଁ ।’ ତହୁଁ ସେମାନେ ଦସ୍ୟୁର କିଛି ବି କ୍ଷତି କଲେ ନାହିଁ ।
ବୁଦ୍ଧଙ୍କୁ ପ୍ରାର୍ଥନା କଲେ ଭୂତପ୍ରେତମାନେ କେବେ କିଛି ହେଲେ ବି କ୍ଷତି କରିପାରନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ ।