ଦିନକର କଥା । ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ତାଙ୍କ ଝିଅର ବାହାଘର ନିମନ୍ତେ କିଛି ସାହାଯ୍ୟ ପ୍ରାର୍ଥନା କଲେ । ଏବେ ଶ୍ରୀନିବାସ ବହୁତ ଚିନ୍ତା କଲାପରେ ଦୁଇଟି ଥାଳିରେ ରଖାଯାଇଥିବା କିଛି ଟଙ୍କା ଆଣି ପ୍ରତ୍ୟେକ ଥାଳିରୁ ଗୋଟିଏ ଲେଖାଏଁ ନେବା ଲାଗି ସେ ଗରିବ ବ୍ରାହ୍ମଣଙ୍କୁ କହିଲେ ।
ଏଥରେ ସେ ବ୍ରାହ୍ମଣ ସନ୍ତୁଷ୍ଟ ନ ହୋଇ ଥାଳିରୁ ଆଦୌ ମୁଦ୍ରା ନ ନେଇ ସେଠାରୁ ବାହାରିଗଲେ । ଏହା ଦେଖି ସେ ଶେଠ ଭାରି ଖୁସି ହେଲେ ସିନା, ମାତ୍ର ଭିତର ପାଶ୍ୱର୍ରେ ଲୁଚିରହି ଶେଠଙ୍କର ପତ୍ନୀ ଏସବୁ ଦେଖି ଭାରି ମନଦୁଃଖ କଲେ । ବ୍ରାହ୍ମଣ ଫେରିଯିବାବେଳେ ତାଙ୍କୁ ଅଟକାଇ ଶେଠଙ୍କର ପତ୍ନୀ ନିଜ ନାକରେ ପିନ୍ଧିଥିବା ହୀରାର ମୂଲ୍ୟବାନ ଫୁଲକୁ ବାହାର କରି ତାଙ୍କୁ ଦେଇଦେଲେ ।
ତହିଁ ପରଦିନ ବ୍ରାହ୍ମଣ ହୀରା ନାକଫୁଲକୁ ବିକ୍ରୀକରି ଟଙ୍କା ଆଣିଲେ ବାହାଘରରେ ଖର୍ଚ୍ଚ କରିବେ ବୋଲି ସେହି ଶେଠଙ୍କର ସୁନା ଦୋକାନକୁ ଗଲେ । ଶ୍ରୀନିବାସ ସେହି ହୀରାଫୁଲକୁ ଦେଖି ଠିକ୍ ଜାଣିପାରିଲେ ଯେ ଏଇଟି ନିଶ୍ଚୟ ତାଙ୍କ ପତ୍ନୀଙ୍କର । ସୁତରାଂ ସେ ନାକଫୁଲଟିକୁ ରଖି ଆସନ୍ତାକାଲି ଟଙ୍କା ଦେବାପାଇଁ କହି ବ୍ରାହ୍ମଣଙ୍କୁ ତାଙ୍କ ଦୋକାନରୁ ଫେରାଇ ଦେଲେ । ତା’ପରେ ରାଗରେ ଗରଗର ହୋଇ ସେ ଶେଠ ନାକଫୁଲକୁ ଆଣି ପତ୍ନୀପାଖରେ ପହଁଚି ପଚାରିଲେ, “ଏଇ ନାକଫୁଲଟି କାହାର? ଆଉ ପୁଣି ତୁମର ନାକରୁ ଫୁଲଟି ଗଲା କୁଆଡେ?”
ଏଭଳି କଥା ଶୁଣି ତାଙ୍କ ପତ୍ନୀ ହଠାତ୍ ଘାବରେଇ ଗଲେ । ଡରି ଡରି ସେ କହିଲେ, “ତାକୁ ତ ମୁଁ ବାକ୍ସରେ ରଖିଦେଇଛି ।” ହଠାତ୍ ରକ୍ଷାପାଇଯିବା ଲାଗି ଏଭଳି କଥା କହିଦେଲେ ସିନା, ହେଲେ କୃପଣ ସ୍ୱାମୀଙ୍କ ହାତରୁ ରକ୍ଷାପାଇବା ଏତେଟା ସହଜ ନଥିଲା । ତେଣୁ ସେ ତାଙ୍କ ମନେ ମନେ ଭାବିଲେ ସ୍ୱାମୀଙ୍କ ଠାରୁ ଗାଳି ଅପମାନ ଶୁଣିବା ଅପେକ୍ଷା ମରିଯିବା ବହୁତ ଭଲ ।
ଏହିକଥା ମନରେ ଚିନ୍ତାକରି ବାକ୍ସରୁ ନାକଫୁଲ ଆଣିବା ବାହନାରେ ସେଠାରୁ ଚାଲିଯାଇ ଶେଠଙ୍କର ପତ୍ନୀ ତାଙ୍କର ଠାକୁର ଘରେ ଯାଇ ପଶିଗଲେ । ପୂଜାପାଉଥିବା ମୂରଲୀଧାରୀ ଶ୍ରୀକୃଷ୍ଣଙ୍କ ପାଦତଳେ ପଡି ସେ କହିଲେ, “ହେ ପ୍ରଭୁ! ମୋର ସ୍ୱାମୀଙ୍କୁ ଟିକେ ସଦ୍ବୁଦ୍ଧି ଦିଅନ୍ତୁ ।” ଏହିଭଳି ଆକୁଳ ପ୍ରାର୍ଥନା କରି ଆତ୍ମହତ୍ୟା ଉଦ୍ଧେଶ୍ୟରେ ବିଷପାନ କରିବାକୁ ଗଲାବେଳେ ତାଙ୍କ ଆଗରେ ହଠାତ୍ କ’ଣ ଗୋଟିଏ ପଡିଯିବା ଭଳି ଶବ୍ଦ ହେଲା । ସେ ଆଖିଖୋଲି ଦେଖନ୍ତିତ ତାହା ବ୍ରାହ୍ମଣଙ୍କୁ ଦାନ କରିଥିବା ସେହି ନାକଫୁଲ ।
ଏହାଦେଖି ଶେଠଙ୍କର ପତ୍ନୀ ପୁରାପୁରି ଚକିତ ହୋଇଗଲେ । ଚାହୁଁଚାହୁଁ ତାଙ୍କର ଚକ୍ଷୁଯୁଗଳ ଆନନ୍ଦାଶ୍ରୁରେ ଭରିଗଲା । ସ୍ୱାମୀଙ୍କୁ ନାକଫୁଲ ନେଇ ଦେଖାଇ ସବୁକଥା କହିବାରୁ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଶେଠଙ୍କ ହାତରେ ଥିବା ନାକଫୁଲଟି ଯାହା ଦେଖାଇବାକୁ ସେ ଆଣିଥିଲେ ତାହାବି ଆଉ ତାଙ୍କ ହାତରେ ନଥିଲା ।
ଏହିଭଳି ଏକ ବିଚିତ୍ର ଘଟଣା ସେହି କୃପଣଙ୍କର ହୃଦୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା ସେଦିନ । ଏତେଦିନ ଧରି ଧନକୁ ଜୀବନର ଅଂଶଭାବରେ ମଣି ଆସିଥିବା କୃପଣ ଶ୍ରୀନିବାସ ଏଥର ଖୋଲାମନରେ ନିଜର ଧନସମ୍ପତ୍ତିକୁ ଦୀନଦୁଃଖୀଙ୍କ ଭିତରେ ଦାନ କରିବାକୁ ଲାଗିଲେ । ଜୀବନକୁ ସବୁଦିନ ଲାଗି ଭଗବାନଙ୍କ ଶ୍ରୀଚରଣରେ ସମର୍ପି ଦେଇ ଭଜନକୀର୍ତ୍ତନରେ ସେ ଶେଠ୍ ମାତିଗଲେ । ସେହିଦିନଠାରୁ କୃପଣ ଶ୍ରୀନିବାସ ପାଲଟିଗଲେ ସନ୍ଥ ପୁରନ୍ଦର ଦାସ ।