ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରେଷ୍ଠ ବିଦ୍ୟା

ପ୍ରାଚୀନ କାଳର କଥା । ଗୋଟିଏ ଗ୍ରାମରେ ତିନୋଟି ତରୁଣ ବିଦ୍ୟାଶିକ୍ଷା ପାଇଁ ଗୁରୁକୁଳରେ ବାସ କରୁଥା’ନ୍ତି । ଗୁରୁ ଅନେକ ପ୍ରକାର ବିଦ୍ୟାରେ ପାରଦର୍ଶୀ ଥିଲେ । ତେଣୁ ବିଦ୍ୟାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଯେ କୌଣସି ବିଦ୍ୟା ଶିକ୍ଷା କରିପାରୁଥିଲେ । ଏଇ ତିନିଜଣ ତରୁଣ ତିନୋଟି ବିଦ୍ୟା ଅଭ୍ୟାସ କରୁଥା’ନ୍ତି । ଜଣେ ଜ୍ୟୋତିଷଶାସ୍ତ୍ର ପଢୁଥାଏ; ଦ୍ୱିତୀୟଟି ଜଡିବୁଟି ଚିକତ୍ସା ଓ ତୃତୀୟଟି ତର୍କ ଶାସ୍ତ୍ର ପଢୁଥାଏ । ଅନେକ ଦିନ ପରେ ଗୁରୁ ଦେଖିଲେ ତିନିଜଣ ନିଜ ନିଜ ବିଦ୍ୟାରେ ବେଶ୍ ପାରଦର୍ଶୀ ହୋଇ ଉଠିଲେଣି । ଏବେ ପରୀକ୍ଷା ନେବା ପରେ ସେମାନେ ଗୃହକୁ ଫେରିଯିବେ ।

ଦିନେ ଜଣେ ପୌଢ ବ୍ୟକ୍ତି ଗୋଟିଏ ଜାତକ ଧରି ସେଠାରେ ଆସି ପହଁଚିଲେ ଓ ଗୁରୁଙ୍କୁ କହିଲେ, “ଏଇ ଜାତକଟି ଯେଉଁ ଯୁବକର ତାକୁ ମୁଁ ଜାମାତା କରିବାକୁ ଚାହେଁ । ତା’ର ସବୁକିଛି ଭଲ । ଆପଣ କେବଳ ତା’ର ଜୀବନର ଶୁଭ ଅଶୁଭ କିଛି କହିଲେ ମୁଁ ବିବାହର ବନ୍ଦୋବସ୍ତ କରିବି ।”

ଗୁରୁ ସେହି ଜାତକକୁ ଅଧ୍ୟୟନ କରି କହିଲେ, “ଏହି ଯୁବକଟିର ଜାତକରେ ବିବାହ ଯୋଗ ତ ରହିଛି ତତ୍ସହିତ କୌଣସି ଦୁଷ୍ଟ ଗ୍ରହର ଦୃଷ୍ଟି ମଧ୍ୟ ପଡିଛି । ତେଣୁ ବିବାହ ହେବା ମାତ୍ରେହିଁ ସେ ଅସୁସ୍ଥ ହୋଇ ପଡିବ ।”

ଏପରି ଉତ୍ତର ଶୁଣି ଆଗନ୍ତୁକ ଟିକିଏ ଚିନ୍ତିତ ଦେଖାଗଲେ । ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏପରି ଅବସ୍ଥାରେ ତୁମମାନଙ୍କର ମତ କ’ଣ?”

ତର୍କଶାସ୍ତ୍ରବାଲା କହିଲା, “ସମସ୍ତିଙ୍କ ଜାତକରେ ଶୁଭ ଅଶୁଭ ଏ ଦୁଇଟା ଅଛି । ଯଦି ଅନ୍ୟ ସବୁ କିଛି ଅନୁକୂଳ ଅଛି ତେବେ ବିବାହ କରିବା ଉଚିତ୍ ।” ଚିକିତ୍ସା ଶାସ୍ତ୍ରବାଲା କହିଲା, “ଯୁବକ ଯଦି ଅସୁସ୍ଥ ହେବ ତେବେ ଭଲ ବୈଦ୍ୟ ଡକାଇ ତା’ର ଚିକିତ୍ସା କରାଯିବ । ରୋଗବ୍ୟାଧି ତ ସମସ୍ତିଙ୍କର ଅଛି ।”

ଜ୍ୟୋତିଷଶାସ୍ତ୍ରବାଲା କହିଲା, “ଏଇ ଏତିକି କଥାକୁ ଏତେ ଚିନ୍ତା କାହିଁକି? ପ୍ରତିକୁଳ ଗ୍ରହ ପାଇଁ ପୂଜା କରି ଗ୍ରହଶାନ୍ତି କରିଲେ ତ ବିପଦ କଟିଯିବ ।”

ଭଦ୍ରଲୋକ ନିଜ କନ୍ୟାର ବିବାହ କରିବାର ମନସ୍ଥ କରି ସେଠାରୁ ଗଲେ ।

କିଛିଦିନ ପରେ ଥରେ ଗୁରୁ ପାଖ ଗ୍ରାମକୁ କୌଣସି ଏକ କାର୍ଯ୍ୟରେ ଯାଇଥା’ନ୍ତି । ହଠାତ୍ ଗୁରୁଙ୍କର ଛୋଟ ପୁଅକୁ ବହୁତ ଜର ଆସିଲା । ଗୁରୁପତ୍ନୀ କାତର ହୋଇ ଶିଷ୍ୟମାନଙ୍କୁ ଡାକି କହିଲେ, “ଏବେ କ’ଣ କରିବା କୁହ ।”

ତର୍କଶାସ୍ତ୍ରବାଲା ପରାମର୍ଶ ଦେଲା “ଉତ୍ତାପର ବିପରୀତ ହେଲା ଥଣ୍ଡା ପାଣି । ପିଲାଟିକୁ ଥଣ୍ଡା ପାଣିରେ ବୁଡାଇଦେବା ।”

ଜ୍ୟୋତିଷଶାସ୍ତ୍ରୀ ତିଥି, ବାର, ନକ୍ଷତ୍ର ଅନୁସାରେ କେଉଁ ଗ୍ରହ ଯୋଗୁଁ ଏପରି ହୋଇଛି ଦେଖିବାକୁ ବହି ଧରି ବସି ପଡିଲା ।

ଚିକିତ୍ସାଶାସ୍ତ୍ରୀ ପିଲାର ନାଡି ପରୀକ୍ଷା କରି କିଛି ଔଷଧ ତିଆରି କରି ପିଲାକୁ ଖାଇବାକୁ ଦେଲା ।

ରାତିକୁ ଗୁରୁ ଘରକୁ ଫେରିଲେ । ସେତେବେଳକୁ ତାଙ୍କ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲାଣି । ଗୁରୁପତ୍ନୀ ସ୍ୱାମୀଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ, “ଏହି ତିନିଜଣଙ୍କ ମଧ୍ୟରୁ ଜ୍ୟୋତିଷଶାସ୍ତ୍ରୀ ଓ ଚିକିତ୍ସାଶାସ୍ତ୍ରୀ ତ ଉପକାର କଲେ । ହେଲେ ଏ ତର୍କଶାସ୍ତ୍ରୀକୁ ବିଦ୍ୟାଶିକ୍ଷା ଦେଇ କି ଲାଭ? ସେ ଓଲଟା ଜରୁଆ ପିଲା ଉପରେ ଥଣ୍ଡା ପାଣି ଢାଳିବାକୁ କହୁଥିଲା ।”

ଗୁରୁ କହିଲେ, “ମଥାରେ ପାଣି ଦେଲେ ଜର କମେ ଏହା ତ ଜଣାଶୁଣା କଥା । ଜ୍ୟୋତିଷ ଓ ବୈଦ୍ୟ କୌଣସି କାର୍ଯ୍ୟର ଦରକାର ହେଲେ ସାହାଯ୍ୟ କରନ୍ତି । କିନ୍ତୁ ତର୍କଶାସ୍ତ୍ରୀ ସର୍ବଦା ସାହାଯ୍ୟ କରନ୍ତି । ମୁଁ କାଲି ତା’ର ପରୀକ୍ଷା ନେବି ।” ତା’ପରେ ଗୁରୁ ଓ ଗୁରୁପତ୍ନୀ ତର୍କଶାସ୍ତ୍ରୀର ପରୀକ୍ଷା ନେବା ବିଷୟରେ ଅନେକ ସମୟ ଆଲୋଚନା କଲେ ।

ପରଦିନ ଖରାବେଳେ ସମସ୍ତେ ବସି ଭାତ ଖାଉଛନ୍ତି; ହଠାତ୍ ଗୁରୁଜୀ ଚିତ୍କାର କରି କହିଲେ ଶିମ ମଞ୍ଜି ଭାବି ମୁଁ ଗୋଟାଏ ଭୟାନକ ବିଷାକ୍ତ ପୋକ ଗିଳି ଦେଇଛି । ଏକଥା କହୁ କହୁ ସେ ପ୍ରାୟ ମୂର୍ଚ୍ଛା ହୋଇ ପଡିଗଲେ ।

ଗୁରୁପତ୍ନୀ କହିଲେ, “ଦେଖ ତୁମ ଗୁରୁଙ୍କର କ’ଣ ହୋଇଗଲା?”

ଏ ଘଟଣା ଦେଖି ଜ୍ୟୋତିଷ ଓ ବୈଦ୍ୟ ଦୁହେଁ ଉଠି ପଡି ଦୌଡି ଆସିଲେ ।

ଜ୍ୟୋତିଷ ଶିଷ୍ୟ ଶାସ୍ତ୍ର ଦେଖିବାକୁ ଦୌଡିଲା । ବୈଦ୍ୟ ଶିଷ୍ୟ ନାଡୀ ପରୀକ୍ଷା କଲା । କିନ୍ତୁ ତର୍କଶାସ୍ତ୍ରୀ ଆରାମରେ ବସି ଖାଉଥାଏ । ତା’ର ବ୍ୟବହାରରେ କୌଣସି ପ୍ରତିକ୍ରିୟା ନାହିଁ ।

ଗୁରୁପତ୍ନୀ ରାଗିଯାଇ କହିଲେ, “ତମେ କି ପ୍ରକାର ଶିଷ୍ୟ? ଗୁରୁ ବିଷାକ୍ତ ପୋକ ଖାଇ ବେହୋସ ହୋଇ ପଡିଛନ୍ତି । ତମେ ତାଙ୍କ ବିଷୟରେ ଚିନ୍ତା ନ କରି ଆରାମରେ ବସି ଖାଉଛ?”

ତର୍କଶାସ୍ତ୍ରୀ ସୁନିଶ୍ଚିତ ଭାବରେ କହିଲା “ମା’, ଗୁରୁଜୀ କୌଣସି ବିଷାକ୍ତ ପୋକ ଖାଇ ନାହାଁନ୍ତି । ସେ ଏତେ ମୁର୍ଖ ନୁହଁନ୍ତି ଯେ ବିଷାକ୍ତ ପୋକ ଦେଖିବା ପରେ ତାକୁ ଖାଇବେ । ଯଦି ଭୁଲ୍ରେ ପୋକଟା ପାଟିରେ ପଶି ଯାଇଥିବ ତେବେ ସେ ସେଇଟା ବାହାରେ ଫୋପାଡି ଦେଇଥା’ନ୍ତେ; କେବେବି ଗିଳି ଦେଇ ନଥା’ନ୍ତେ ।”

ତା’ର ଉତ୍ତର ଶୁଣି ଗୁରୁ ଆଖି ଖୋଲି ଉଠି ବସିଲେ ଓ ନିଜ ପତ୍ନୀକୁ କହିଲେ, “ଏବେ ତ ବୁଝିପାରୁଛ ତର୍କଶାସ୍ତ୍ରର ବୈଶିଷ୍ଟ୍ୟ କ’ଣ?”

ତା’ପରେ ଆଚାର୍ଯ୍ୟ ତିନି ଶିଷ୍ୟଙ୍କୁ ଶିକ୍ଷା ସମାପ୍ତ ହେବା କଥା କହି ଅତି ସନ୍ତୋଷରେ ସେମାନଙ୍କୁ ବିଦାୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ