ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା

ସୁଭାଷଙ୍କର କଲେଜରେ କେତେକ ବିରୋଧୀ ଛାତ୍ର ଥିଲେ । ସେମାନଙ୍କ ମଧ୍ୟରେ ‘ହିଜରା’ ନାମକ ଛାତ୍ର ଥିଲେ ମୁଖ୍ୟ । ଜନସମାଜରେ ସୁଭାଷଙ୍କର ପ୍ରଶଂସାକୁ ସେ ମୋଟେ ସହିପାରିଲେ ନାହିଁ । ସୁତରାଂ ସେ ତାଙ୍କ ବିରୋଧରେ ନାନା ଷଡଯନ୍ତ୍ର ଭିଆଇଲେ । ବାଟରେ ଘାଟରେ ଛକି ରହି ତାଙ୍କୁ ସେ ଘୋର ଅପମାନ ବି ଦେଲେ । ହେଲେ ସୁଭାଷ ତ ଜମା ଡରିବା ପିଲା ନ ଥିଲେ । ସେ ପର୍ବତ ଭଳି ଅଚଳ ଓ ଅଟଳ ରହି ନିଜ କାମ କରିବାରେ ଲାଗିଲେ ।

କିଛି ଦିନ ପରେ ସେ ବିରୋଧୀ ଛାତ୍ର ହିଜରା ମଧ୍ୟ ହଇଜା ରୋଗରେ ପୀଡିତ ହେଲା । ଏହା ଶୁଣି ସୁଭାଷ ସିଧାସିଧା ଚାଲିଲେ ହିଜରାଙ୍କ ଘରକୁ । ହଠାତ୍ ସୁଭାଷଙ୍କୁ ତାଙ୍କ ଘରେ ଦେଖି ସେ ହିଜରା ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍ ସେତିକିବେଳେ ହିଜରା ମନେ ମନେ ଭାବିଲେ, ଯାହାଙ୍କୁ ମୁଁ ଏତେ ହଇରାଣ ହରକତ କରୁଥିଲି ଶେଷରେ ସେ ହିଁ ଆଜି ତାଙ୍କର ସାଙ୍ଗମାନଙ୍କୁ ଧରି ମୋର ସେବାଯତ୍ନରେ ଲାଗି ପଡିଛନ୍ତି, ହେଲେ ମୋ ସାଙ୍ଗମାନଙ୍କ ଭିତରୁ ଜଣକର ବି କାହାର ଏଠାରେ ଦେଖା ନାହିଁ । ସତରେ ସୁଭାଷ କେଡେ ମହାନ୍? ସୁଭାଷ ଆଜି ନିଶ୍ଚୟ ମୋତେ ଭଗବାନ ସଦୃଶ ବଂଚାଇବାକୁ ହିଁ ଏଠାକୁ ଆସିଛନ୍ତି । ଏହିଭଳି ଅନେକ କଥା ଭାବି ଭାବି ହିଜରା ତା’ ମନରେ ଅନୁଶୋଚନା କରୁଥାଏ ।

ମାତ୍ର ସୁଭାଷଙ୍କ ମନରେ ତ ସେମିତି କିଛି ବି ନଥାଏ । ତେଣୁ ସେ ଅତି ଆପଣାର ଭଳି ହିଜରାଙ୍କର ସେବା କରୁଥାନ୍ତି । ପାଣିକୁ ଶିଝାଇ ଥଣ୍ଡା କରି ରୋଗୀକୁ ପିଇବାକୁ ଦେଲେ । ଘରଦ୍ୱାର ତଥା ପରିବେଶରୁ ଅଳିଆ ସଫା କରିଦେଲେ । ଏହି ରୋଗର ସତର୍କ ସୂଚନା ବି ଦେଲେ । ଆଉ କହିଲେ, “ଭାଇ! ତୁମେ ଏଥିପ୍ରତି ସତର୍କ ନହେବାରୁ ତୁମକୁ ଏ ରୋଗ ହେଲା, ମାତ୍ର ଆମେମାନେ ସତର୍କ ଥିବାରୁ ନିର୍ଭୟରେ ରୋଗୀସେବା କରି ବୁଲୁଛୁ ।”

ଏକଥା ଶୁଣି ସେ ହିଜରା ଆଉ ଥୟ ଧରି ରହିପାରିଲେ ନାହିଁ । ତା’ପରେ ସୁଭାଷଙ୍କର ଦୁଇ ଗୋଡକୁ ଧରି ସେ ଖାଲି ଭୋ ଭୋ କରି ରଡି ଛାଡିଲେ । କହିଲେ, “ସୁଭାଷ! ସତରେ ତୁମେ କେତେ ଯେ ମହାନ୍ । ମୋ ପାଇଁ ତ ତୁମେ ସାକ୍ଷାତ ଭଗବାନ୍ ସଦୃଶ । ତୁମେ ଆଜି କେବଳ ମୋ’ ଘରର ମଇଳା ସଫା କରି ନାହଁ, ବରଂ ତାସହିତ ମୋ ମନରୁ ସମସ୍ତ ମଇଳା ବି ସଫା କରି ଦେଇଛ । ତୁମର ଏଭଳି ପୁଣ୍ୟ କାମକୁ ବିରୋଧ କରି ମୁଁ ବହୁତ ପାପ କରିଛି । ସୁତରାଂ ମୋତେ କ୍ଷମା କରିଦିଅ ।”

ଏହା ଶୁଣି ସୁଭାଷ ହିଜରାକୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ତୁମେ ମୋଟେ ବ୍ୟସ୍ତ ହୁଅ ନାହିଁ । ତୁମେ ପାପୀ ନୁହେଁ ।  ତୁମେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲେ ଯାଇ ଆମ ସହିତ ମିଶିବ । ତା’ପରେ ଆମେ ସମସ୍ତେ ମିଶି ଦୁଃସ୍ଥ ଜନଙ୍କ ସେବା କରିବା । ତାହାହିଁ ହେବ ପ୍ରକୃତ ସେବା । ସେଥିରେ ଯେଉଁ ଆନନ୍ଦ ଅଛି ତାହା ଆଉ କେଉଁଥିରେ ବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ