କଡମାଛ ଓ ରାଜକୁମାରୀ

ରାତି ଯେମିତି ଅଧିକ ହୋଇଛି କଡମାଛଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଦୁଆର ବଂଧକୁ ଡେଇଁ ପଡିଲା । ଦୁଆର ବଂଧକୁ ଡେଇଁ ପଡିବା ମାତ୍ରେ ହଠାତ୍ ସେ ଏକ ସୁନ୍ଦର ଯୁବକରେ ପରିଣତ ହୋଇଗଲା । ତା ହାତରେ ଥିବା ଲୁହାବାଡିକୁ ଯେମିତି ତଳେ ପିଟି ଦେଇଛି ସାଙ୍ଗେ ସାଙ୍ଗେ ତିରିଶ ଜଣ ସଶସ୍ତ୍ର ଲୋକ ସେଠାରେ ପହଁଚି କହିଲେ ‘ପ୍ରଭୁ’! ଆପଣ କାହିଁକି ଆମକୁ ସ୍ମରଣ କଲେ ।’ –

ଯୁବକଟି କହିଲା ‘ତୁମେମାନେ ମୋ ପାଇଁ ସମ୍ରାଟଙ୍କ ପୁରୁଣା ମନ୍ଦିର ପାଖରେ ତାଠାରୁ ସୁନ୍ଦର ଆଉ ଗୋଟିଏ ମନ୍ଦିର ତୋଳିଦେବ ଓ ପୁରୁଣା ମନ୍ଦିରରୁ ନୂଆମନ୍ଦିରକୁ, ପୁରୁଣା ଉଆସରୁ ନୂଆ ଉଆସକୁ ଓ ନୂଆ ଉଆସରୁ ନୂଆ ମନ୍ଦିରକୁ ତିନୋଟି ସିଡି ଆଜି ରାତିକ ମଧ୍ୟରେ ତିଆରି କରିଦେବ ।’

ସେ ସଶସ୍ତ୍ର ଲୋକମାନେ ଚାଲିଯିବା ପରେ ଯୁବକଟି ଘର ଭିତରକୁ ଫେରି ଆସି ପୁଣି କଡମାଛରେ ପରିଣତ ହୋଇଗଲେ ।

ଠିକ୍ ସକାଳୁ କଡମାଛ ତାର ବୁଢା ବାପାକୁ କହିଲା ‘ବାପା ତୁମେ ଯାଇ ସମ୍ରାଟଙ୍କୁ ଦେଖା କରି ମୋର ବିବାହ କଥା କୁହ । ‘ବୁଢା ପ୍ରଥମେ ସମ୍ରାଟଙ୍କ ପୁରୁଣା ମନ୍ଦିର ପାଖରେ ପହଁଚି ଦେଖିଲା ଯେ ସେଠାରେ ଏକ ନୂଆ ମନ୍ଦିର ତୋଳା ହୋଇଛି ଯାହା ସମ୍ରାଟଙ୍କ ମନ୍ଦିର ଅପେକ୍ଷା ଆହୁରି ସୁନ୍ଦର ଏବଂ ନୂଆ ଉଆସରୁ ପୁରୁଣା ଉଆସ, ନୂଆମନ୍ଦିରରୁ ପୁରୁଣା ମନ୍ଦିର ଓ ନୂଆମନ୍ଦିରରୁ ନୂଆ ଉଆସକୁ ତିନୋଟି ପଥରରେ ସିଡି ତିଆରି ହୋଇଛି ।

ସମ୍ରାଟ ତାଙ୍କର ଶୋଇବାଘର ଝରକା ବାଟେ ନୂଆମନ୍ଦିର ଓ ପଥରର ସିଡି ଗୁଡିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ବୁଢା ପୁଅର ଅଲୌକିକତାକୁ ଖୁବ୍ ପ୍ରଶଂସା କଲେ ।

ବୁଢାଟି ନୂଆମନ୍ଦିର ଓ ପଥର ସିଡି ଗୁଡିକୁ ଦେଖି ଆନନ୍ଦରେ ସମ୍ରାଟଙ୍କୁ ଭେଟି ତାଙ୍କ ଝିଅର ବିବାହ ପ୍ରସ୍ତାବ କଥା କହିଲା ଏବଂ ସମ୍ରାଟ ସେ ବୁଢାକୁ କହିଲେ ‘ଏଥର ଶେଷରେ ତୁମେ ଆଉ ଗୋଟିଏ ସର୍ତ୍ତ ପୂରଣ କଲେ ଯାଇ ତୁମ ପୁଅ ସହିତ ମୋ ଝିଅର ବିବାହ ହେବ । ତୁମେ ଯଦି କାଲି ସକାଳୁ ଦୁଇଟି ପକ୍ଷୀରାଜ ଘୋଡା ଲାଗିଥିବା ଗୋଟିଏ ରଥ ଆଣି ଏଠାରେ ପହଁଚାଇବ ତେବେ ତୁମ ପୁଅ ସହିତ ମୋ ଝିଅର ବିବାହ ହେବ ନଚେତ୍, ତୁମ ଦୁହିଁଙ୍କର ମୁଣ୍ଡ କାଟ ହେବ ।’

ସମ୍ରାଟଙ୍କଠାରୁ ଏ ଅସମ୍ଭବ ସର୍ତ୍ତଟି ଶୁଣି ବୁଢା ପୁଣି ଭୟରେ କାନ୍ଦିକାନ୍ଦି ଘରେ ଯାଇ ପହଁଚିଲା । କଡମାଛଟି ବୁଢାକୁ କାନ୍ଦୁଥିବା ଅବସ୍ଥାରେ ଦେଖି ପଚାରିଲା ‘ବାପା’! ତୁମେ ଏପରି କାନ୍ଦୁଛ କାହିଁକି?’ ବୁଢାଟି କହିଲା ‘ସମ୍ରାଟ ଆଉ କେବେବି ତାଙ୍କ ଝିଅକୁ ଆମ ଘରେ ବାହା ଦେବେ ନାହିଁ । କାହିଁକିନା ସେ ଆଜି ପୁଣି ଆଉ ଗୋଟିଏ ନୂଆ ସର୍ତ୍ତ ରଖିଛନ୍ତି । କାଲିସକାଳୁ ସମ୍ରାଟ ତାଙ୍କ ସିଂହଦ୍ୱାର ପାଖରେ ଗୋଟିଏ ପକ୍ଷୀରାଜ ଘୋଡା ଲାଗିଥିବାର ରଥ ଦେଖିଲେ ସେ ତାଙ୍କ ଝିଅକୁ ତୋ ସହିତ ବାହା ଦେବେ ନଚେତ୍ ଆମ ଦୁହିଁଙ୍କର ମୁଣ୍ଡକାଟ ହେବ ।’

ଏପରି କଥା ଶୁଣି ସେ କଡମାଛଟି କହିଲା ‘ବାପା! ତୁମେ ଆଦୌ ବ୍ୟସ୍ତ ନହୋଇ ବିଶ୍ରାମ ନିଅ ଓ ଯାହା ହେବାର କଥା ତାହା ହିଁ ହେବ ।

ବୁଢାଟି ରାତିରେ ଖାଇ ପିଇ ଯେମିତି ବିଶ୍ରାମ ନେବାକୁ ଯାଇଛି କଡମାଛଟି ଗୁରୁଣ୍ଡି ଗୁରୁଣ୍ଡି ଘର ବାହାରକୁ ଆସି ଯୁବକରେ ପରିଣତ ହୋଇ ଲୁହାବାଡିକୁ ଯେମିତି ତଳେ ବାଡେଇ ଦେଇଛି ପୁଣି ସେହି ତିରିଶ ଜଣ ସଶସ୍ତ୍ର ଲୋକ ସେଠାରେ ଆସି ପହଁଚିଲେ ଓ ଯୁବକଟି ସେଲୋକମାନଙ୍କୁ ପକ୍ଷୀରାଜ ଘୋଡାଲାଗିଥିବା ଗୋଟିଏ ରଥ ଆଣିବାକୁ କହିଲା । ସେ ସଶସ୍ତ୍ର ଲୋକମାନେ ଯୁବକଟିର ଆଦେଶ ପାଳନ କରିବାକୁ କହି ହଠାତ୍ କେଉଁ ଆଡେ ଉଭେଇ ଗଲେ । ଯୁବକଟି ପୁଣି କଡମାଛ ରୂପ ଧାରଣ କରି ବିଛଣାରେ ଶୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ