ଟମଥମ୍ବ

ଦିନେ ରାଜା ଆର୍ଥର ଟମ୍କୁ ତା ବାପା ମାଙ୍କ କଥା ପଚାରି ଜାଣିବାକୁ ଚାହିଁଲେ ତା ବାପା ମା ତା ଭଳି ଛୋଟ କି ନୁହଁ କିମ୍ବା ସେମାନେ ଗରିବ କି ଧନୀ । ଟମ୍ ରାଜାଙ୍କୁ କହିଲା ତା ବାପା ମା ରାଜସଭାରେ ଥିବା ଅନ୍ୟ ଲୋକଙ୍କ ଭଳି ଡେଙ୍ଗା ମାତ୍ର ସେମାନେ ଗରିବ । ରାଜା ଏହା ଶୁଣି ଟମ୍କୁ ତାଙ୍କ ରାଜକୋଷର ଧନ ଭଣ୍ଡାରକୁ ନେଇଗଲେ ଏବଂ ସେ ଯେତେ ଟଙ୍କା ବୋହି ନେଇ ଯାଇ ପାରିବ ସେ ତା ବାପାମାଙ୍କ ପାଇଁ ସେତେଟଙ୍କା ବୋହିନେବାକୁ କହିଲେ ଯାହାଫଳରେ ଏ ଟଙ୍କା ଦେଖି ତା ବାପ ମା ଆନନ୍ଦରେ ନାଚି ଉଠିବେ । ଟମ୍ ଏହା ଶୁଣି ପାଣି ଫୋଟକା ଭଳି ଏକ ଛୋଟ ଟଙ୍କା ମୁଣି ଯୋଗାଡ କଲା ଏବଂ ରାଜା ସେମୁଣିରେ ଗୋଟିଏ ରୂପା ଟଙ୍କା ରଖିଦେଲେ । କ୍ଷୁଦ୍ରକାୟ ଟମ୍ ସେଇ ମୁଣିଟିକୁ ପିଠିରେ ଲଦି ତା ଘରକୁ ଚାଲିଲା । କୌଣସି ଦୁର୍ଘଟଣାର ସମ୍ମୁଖୀନ ନହୋଇ ପ୍ରାୟ ଶହେ ଜାଗାରେ ବିଶ୍ରାମ ନେଇ ଦୁଇ ଦିନ ଦୁଇରାତି ପରେ ସେ ଟମ୍ ଯାଇ ତା ଘରେ ପହଁଚିଲା । ରୂପାଟଙ୍କାଟିକୁ ମୁଣ୍ଡେଇ ଘଂଟା ଘଂଟା ଧରି ଏତେ ବାଟ ଚାଲିବା ପରେ ସେ ମୁମୂର୍ଷୁ ଅବସ୍ଥାରେ ତା ଘରେ ପହଁଚିବା କ୍ଷଣି ମା ତାକୁ ଆଦରରେ ଘରକୁ ନେଇଗଲେ । ମାତ୍ର ଅଳ୍ପଦିନ ସେ ଘରେ ରହି ପୁଣି ରାଜା ଆର୍ଥରଙ୍କ ପାଖକୁ ଫେରିଆସିଲା ।

ପିଠଉ କଡେଇ ପଡି ଓ ମାଛ ପେଟରେ ରହି ଟମ୍ର ପୋଷାକ ପତ୍ର ସବୁ ଚିରି ଯାଇଥିବାରୁ ରାଜା ତା ପାଇଁ ନୂଆ ପୋଷାକ ତିଆରି କରିବାକୁ ଆଦେଶ ଦେଲେ ଏବଂ ଘୋଷଣା କଲେ ଯେ ଅନ୍ୟ ଅଶ୍ୱାରୋହୀ ବୀରଙ୍କ ପରି ସେ ମଧ୍ୟ ଗୋଟିଏ ମୂଷା ପିଠିରେ ଆରୋହଣ କରିବ । ସଙ୍ଗେ ସଙ୍ଗେ ସେହି ରାଜାଙ୍କ ଆଦେଶ ବି ପାଳନ କରାଗଲା ।

ପରଜାପତିର ପରରେ ହେଲା ଜାମା ତିଆରି

ଛୁଆ କୁକୁରର ଚମରେ ହେଲା ଯୋତା ତାହାରି । ୧ ।

ଖରଗତି ଯେଉଁ ମୂଷାର ହେଲା ବାହାନ ତାର

ଅତି ଆନନ୍ଦରେ ଟମ୍ ଯେ ଗତିକରେ ସତ୍ୱର । ୨ ।

ରାଜ୍ୟର ଲୋକମାନେ ଦେଖିଲେ ଯେ ଟମ୍ ତାର ନୂଆ ପୋଷାକ ପିନ୍ଧି ମୂଷା ଉପରେ ବସି ଅନ୍ୟବୀର ଓ ସାମନ୍ତଙ୍କ ଭଳି ରାଜାଙ୍କ ସହିତ ଶିକାରକୁ ଯାଉଛି ଏବଂ ସେ ଅତି ସୁନ୍ଦର ଭାବରେ ସାମରିକ କାଇଦାରେ ତାର ମୂଷାକୁ ଘୋଡାଭଳି ଲମ୍ପ ପ୍ରଦାନ କରାଯାଉଛି ।

ରାଜା ସେ ଟମ୍ ଉପରେ ଏତେ ଖୁସି ହୋଇଗଲେ ଯେ ସେ ତା ପାଇଁ ଗୋଟିଏ ଚୌକି ମଧ୍ୟ ତିଆରି କରିବା ଲାଗି ଆଦେଶ ଦେଲେ ଯେପରି ଅନ୍ୟାନ୍ୟ ପାରିଷଦଙ୍କ ଭଳି ଗୋଲଟେବୁଲ୍ ପାଖରେ ବି ସେ ବସି ପାରିବ । ରାଜା ତା ରହିବାପାଇଁ ଏକ ଫୁଟ ଉଚ୍ଚାର ଏକ ଇଂଚି ଦୁଆର ମୁହଁଥିବା ସୁନାର ଗୋଟିଏ ପ୍ରାସାଦ ତିଆରି କରିଦେଲେ ଏବଂ ତା ପାଇଁ ମଧ୍ୟ ଛଅଟି ମୂଷାଟାଣି ପାରୁଥିବା ଗୋଟିଏ ଗାଡି ତିଆରି କରେଇ ଦେଲେ ।

ସେ ଟମ୍କୁ ଏତେ ସମ୍ମାନ କରାଯାଉଥିବାରୁ ରାଣୀ ଖୁବ୍ ରାଗିଯାଇ ରାଜାଙ୍କୁ କହିଲେ ଯେ ଟମ୍ ତାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରୁଛି । ରାଜା ତତ୍କ୍ଷଣାତ୍ ଟମ୍କୁ ରାଜ ଦରବାରକୁ ଡକାଇ ପଠାଇଲେ । ଟମ୍ ରାଜାଙ୍କର କ୍ରୋଧର ପରିଣତି ଜାଣି ଗୋଟିଏ ଶାମୁକା ଖୋଳ ମଧ୍ୟରେ ଲୁଚିଗଲା । କିଛି ସମୟ ପରେ ସେ ଟମ୍ ସାହସ କରି ଶାମୁକା ଖୋଳ ମଧ୍ୟରୁ ଉଙ୍କି ମାରି ଦେଖିଲା ଯେ ସେ ଲୁଚିଥିବା ପାଖରେ ଏକ ବଡ ପ୍ରଜାପତିଟିଏ ବସିଛି । ସେ ଆସ୍ତେ କରି ଯାଇ ପ୍ରଜାପତି ଉପରକୁ ଡେଇଁ ପଡି ଦୁଇଗୋଡ ମେଲାଇ ତା ଉପରେ ବସି ପଡିଲା ଓ ପ୍ରଜାପତିଟି ତାକୁ ଧରି ଉପରକୁ ଉଡିବାକୁ ଲାଗିଲା । ପ୍ରଜାପତିଟି ଟମ୍କୁ ଧରି ଫୁଲରୁ ଫୁଲକୁ, ଗଛରୁ ଗଛକୁ ଓ ପ୍ରାନ୍ତରୁ ପ୍ରାନ୍ତକୁ ଉଡିବାକୁ ଲାଗିଲା ଓ ଶେଷରେ ଯାଇ ରାଜ ଦରବାରରେ ପହଁଚିଲା । ଟମ୍କୁ ପ୍ରଜାପତି ଉପରେ ଦେଖି ରାଜା ଓ ତାଙ୍କ ପାରିଷଦମାନେ ତାଙ୍କୁ ଧରିବାକୁ ଚେଷ୍ଟା କରିଲାବେଳେ ସେ ପ୍ରଜାପତି ଉପରୁ ଗୋଟିଏ ପାଣି ବାଲଟି ମଧ୍ୟକୁ ଖସି ପଡିଲା ଓ ପାଣିରେ ପୂରାବୁଡିଗଲା ।

ରାଣୀ ଟମ୍କୁ ଦେଖି ଖୁବ୍ ରାଗିଗଲେ ଏବଂ ତାର ମୁଣ୍ଡକାଟ ପାଇଁ ଆଦେଶ ଦେଲେ । ଏହା ପରେ ତାର ମୁଣ୍ଡକାଟ ପର୍ଯ୍ୟନ୍ତ ତାକୁ ଏକ ମୂଷାଯନ୍ତାରେ ବାନ୍ଧି ରଖାଗଲା । ଯନ୍ତାମଧ୍ୟରେ କ’ଣ ଗୋଟାଏ ଜୀବନ୍ତ ଜନ୍ତୁ ଥିବାର ଜାଣି ବିରାଡିଟିଏ ସେ ଯନ୍ତାକୁ ଏପଟ ସେପଟ କରିବାରୁ ଟମ୍ ବନ୍ଧା ହୋଇଥିବା ଦଉଡିଟି ଛାଡିଗଲା ଏବଂ ଟମ୍ ସେ ମୂଷାଯନ୍ତାରୁ ମୁକ୍ତ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ