ବୀର ହନୁମାନ

“ଆଚ୍ଛା, ତମେ ତେବେ ବଳରାମ?” ଏହା କହି ହନୁମାନ ଅଟ୍ଟହାସ୍ୟ କଲେ । ବଳରାମ ରାଗିଯାଇ ତାଙ୍କ ହଳ ଧରି ହନୁମାନଙ୍କୁ ଆକ୍ରମଣ କରିବାକୁ ଆସନ୍ତେ, ହନୁମାନ ତାହା ନିଜ ଲାଙ୍ଗୁଡ ଦ୍ୱାରା ଦୂରକୁ ଫିଙ୍ଗି ଦେଲେ । ତା’ପରେ ବଳରାମ ଗଦାଧରି ଆକ୍ରମଣ କରିବାକୁ ଆସନ୍ତେ, ହନୁମାନ ତାଙ୍କୁ ଦୁଇ ହାତରେ ଧରି ଉପରକୁ ଉଠାଇନେଲେ । ବଳରାମ ମୂର୍ଚ୍ଛିତ ହେଲେ । ଏଥୁଅନ୍ତେ ହନୁମାନ ତାଙ୍କୁ ଆସ୍ତେ ତଳେ ରଖିଦେଲେ ।

କିନ୍ତୁ ମୂର୍ଚ୍ଛା ସମୟରେ ବଳରାମ ପୂର୍ବଜନ୍ମ ବୃତାନ୍ତ ଜାଣିପାରିଲେ । ଶ୍ରୀରାମଙ୍କର ଅଭିଷେକ ହେବା ପରେ ଲକ୍ଷ୍ମଣ ହସି ପକାଇଥିଲେ । ସଭାରେ ଥିବା ବ୍ୟକ୍ତିମାନେ ପ୍ରତ୍ୟେକେ ଭାବିଲେ ଯେ ତାଙ୍କୁ ଦେଖି ଲକ୍ଷ୍ମଣ ହସୁଛନ୍ତି । ହନୁମାନ ତାଙ୍କୁ ପଚାରିଲେ, “କ’ଣ ହେଲା ଏପରି ହଠାତ୍ କାହିଁକି ହସିଲେ?” ଲକ୍ଷ୍ମଣଙ୍କ ଉତ୍ତର ହନୁମାନ ସମସ୍ତିଙ୍କୁ ବୁଝାଇଲେ ।

ସେ କହିଲେ ଯେ ବନବାସ ସମୟରେ ଲକ୍ଷ୍ମଣ ଚବିଶଘଂଟା ଶ୍ରୀରାମଙ୍କ ପାଖରେ ସେବା କରୁଥାନ୍ତି । ତେଣୁ ସେ ନିଦ୍ରା ଦେବୀଙ୍କୁ କହିଥିଲେ ଯେ ଚଉଦବର୍ଷ ପରେ ଶ୍ରୀରାମଙ୍କର ଅଭିଷେକ ହେବା ପରେ ସେ ଆସିବେ । ତେଣୁ ଚଉଦବର୍ଷ କାଳ କ୍ଷୁଧା ତୃଷା ଓ ନିଦ୍ରା ଭୂଲି ଲକ୍ଷ୍ମଣ ଶ୍ରୀରାମଙ୍କର ସେବା କରିଥିଲେ । ତାଛଡା ଇନ୍ଦ୍ରଜିତଙ୍କର ମୃତ୍ୟୁ କେବଳ ସେହି ବ୍ୟକ୍ତି ଦ୍ୱାରା ହିଁ ସମ୍ଭବ ଥିଲା ଯିଏ କି ଦୀର୍ଘ ଚଉଦବର୍ଷ କାଳ ଆହାର ନିଦ୍ରା ତ୍ୟାଗ କରିଥିବ । ତେଣୁ ଲକ୍ଷ୍ମଣ ତାକୁ ମାରିବାକୁ ସକ୍ଷମ ହୋଇଥିଲେ ।

ଶ୍ରୀରାମଙ୍କ ଅଭିଷେକ ପରେ ଲକ୍ଷ୍ମଣଙ୍କ କଥା ଅନୁସାରେ ନିଦ୍ରାଦେବୀ ତାଙ୍କ ନିକଟକୁ ଆସିଲେ ଓ ସେ ଟିକିଏ ଢୁଳେଇ ପଡିଲେ । ତେଣୁ ସେ ହସିଥିଲେ ।

ହନୁମାନଙ୍କ କଥା ଶୁଣି ଶ୍ରୀରାମ କହିଲେ, “ଦିନେ ମୁଁ ଲକ୍ଷ୍ମଣଙ୍କୁ ସୁନ୍ଦର କଦଳୀଟିଏ ଦେଇଥିଲି । ତାକୁ ସେ କ’ଣ କଲେ?”

ଏହା ଶୁଣି ଲକ୍ଷ୍ମଣ କହିଲେ, “ଆପଣ ଏତେ ଗଭୀର ସ୍ନେହରେ କଦଳୀଟି ଦେଇଥିଲେ ଯେ ମୁଁ ତାକୁ ଫୋପାଡି ନ ଦେଇ ଏବେ ପର୍ଯ୍ୟନ୍ତ ଶ୍ରୀରାମପ୍ରସାଦ ବୋଲି ଭାବି ରଖିଛି ।” ତା’ପରେ ଲକ୍ଷ୍ମଣ ନିଜର ଜଂଘ ଚିରି ସେଥିରୁ କଦଳୀଟି ବାହାର କଲେ ।

ସେତେବେଳେ ଲକ୍ଷ୍ମଣଙ୍କ ତପସ୍ୟା ଓ ସେବାରେ ଶ୍ରୀରାମ ଏତେ ମୁଗ୍ଧ ହୋଇଥିଲେ ଯେ ସେ ସିଂହାସନରୁ ଉଠିଆସି ଲକ୍ଷ୍ମଣଙ୍କୁ ଆଲିଙ୍ଗନ କରି କହିଲେ, “ଭାଇ, ପରଜନ୍ମରେ ମୁଁ ତୁମର ସାନ ଭାଇ ହୋଇ ତୁମର ସେବା କରି ଏ ଜନ୍ମର ସମସ୍ତ ଋଣ ନିଶ୍ଚୟ ପରିଶୋଧ କରି ଦେବି ।”

ବଳରାମଙ୍କର ମୂଚ୍ଛା ଭଙ୍ଗ ହେଲା ଓ ସଙ୍ଗେସଙ୍ଗେ ତାଙ୍କର ଭ୍ରମ ମଧ୍ୟ ଭାଙ୍ଗିଲା । ସେ ବୁଝିପାରିଲେ ଯେ ସେ ଗତଜନ୍ମରେ ଲକ୍ଷ୍ମଣ ଥିଲେ ଓ ହନୁମାନଙ୍କ ଯୋଗୁଁ ହିଁ ସେ ମୃତ୍ୟୁ ମୁଖରୁ ବଂଚିଥିଲେ । ତେଣୁ ସେ ହନୁମାନଙ୍କୁ ଆଲିଙ୍ଗନ କରି କହିଲେ, “ଶ୍ରୀମାନ, ତୁମ ଦୟାରୁ ହିଁ ଗତଜନ୍ମରେ ମୁଁ ମୃତ୍ୟୁମୁଖରୁ ବଂଚିଥିଲି । ଆଜି ମୂର୍ଚ୍ଛିତ କରି ତୁମେ ପୁଣି ଥରେ ମୋତେ ସେ କଥା ଚେତେଇ ଦେଲ । ଏବେ ତୁମେ ତୁମ ରାମଙ୍କୁ ଦେଖିବ ନାହିଁ?” ଏତିକି କହି ସେ ହନୁମାନଙ୍କୁ ଶ୍ରୀକୃଷ୍ଣଙ୍କ ପାଖକୁ ନେଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ