ସାହସୀ ବିକ୍ରମ

                ବିକ୍ରମର ଏହି କଥା ସମସ୍ତିଙ୍କର ମନକୁ ବେଶ୍ ପାଇଲା । ତା’ପରେ କୋଡିଏ ଜଣ ବୀର ଯୋଦ୍ଧା ଯୁବକ ବିକ୍ରମ ପାଖକୁ ଆସିଲେ । ସେମାନଙ୍କର ହାତରେ ନାନା ପ୍ରକାର ଅସ୍ତ୍ରଶସ୍ତ୍ର ଥାଏ । ପୋଲର ସ୍ତମ୍ଭମାନଙ୍କ ପଛରେ କେଉଁଠି କିଏ କିପରି ଭାବରେ ରହିବ ସବୁ ଯୋଜନା ହୋଇଗଲା ।

                ସକାଳ ହେବାରୁ ରାଜା ମାର୍ତଣ୍ଡଙ୍କ ସୈନ୍ୟ ପୋଲ ପାର ହେବାକୁ ବସିଲେ । ଏକ ପରେ ଏକ ସୈନ୍ୟଙ୍କର ମୁଣ୍ଡଛିଡି ତଳେ ପଡୁଛି । ହେଲେ କିଏ ଏପରି କେଉଁଠି ଥାଇ କରୁଛି କେହି ବି ଦେଖି ପାରିଲେ ନାହିଁ । ତେଣୁ ବୃଥାରେ ମରିବା ପାଇଁ ଇଚ୍ଛା ନ କରି ସେମାନେ ପଛକୁ ଫେରିଲେ ।

                ଯୁଦ୍ଧର ଏପରି ଖବର ଶୁଣି ରାଜା ମାର୍ତଣ୍ଡ ବହୁତ ଆଶ୍ଚର୍ଯ୍ୟ ହେଲେ । ରାଜା ଚାହିଁଲେ ଗୁପ୍ତ ଭାବରେ ରହି ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କୁ ପରାଜିତ କରିବାକୁ । ତେଣୁ ସେ ନାନା ପ୍ରକାର ଉପାୟ ଚିନ୍ତା କଲେ । ଛୋଟ ଛୋଟ ଡଙ୍ଗାରେ ଦଶଜଣ କରି ସୈନିକ ବସି ନର୍ମଦା ପାର ହେବାକୁ ଚାହିଁଲେ । ସେମାନେ ନଦୀର ମଝିରେ ହେବା ବେଳକୁ ବିକ୍ରମ ତରଫରୁ ଯୋଦ୍ଧାମାନେ ଗଛର ଆଢୁଆଳରେ ଥାଇ ଶରସନ୍ଧାନ କରି ଅନେକ ସୈନ୍ୟଙ୍କୁ ମାରି ପକାଇଲେ । ତେଣୁ ରାଜା ମାର୍ତଣ୍ଡଙ୍କର ସୈନ୍ୟ ଆଉ ଆଗକୁ ଯାଇପାରିଲେ ନାହିଁ । କିନ୍ତୁ ଏଣେ ପୋଲ ଉପରେ ଯୁଦ୍ଧ ହେବାବେଳେ ମାର୍ତଣ୍ଡଙ୍କ ସୈନ୍ୟମାନେ ଅଧିକ ସଂଖ୍ୟାରେ ଆସିଲେ ଓ ଅନେକ ହଣା ଖାଇଲେ ମଧ୍ୟ ଜଣେ ଦି’ଜଣ ଏପଟକୁ ଆସି ପାରିଲେ । ଦୁଇପଟରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥାଏ । ଏପରି ଅବସ୍ଥା ଦେଖି ବିକ୍ରମ କହିଲା ଯେ କୁରାଢୀ ଧରି ଏବେ ଏହି ପୋଲକୁ ଭାଙ୍ଗି ଦେବାକୁ ହେବ । ଏଣେ ପୋଲ ଉପରେ ଯୁଦ୍ଧ ଚାଲିଥାଏ । ବିକ୍ରମ ଛଡା ଅନ୍ୟ ସମସ୍ତେ ସେଠାରୁ ଫେରିଗଲେ । ପୋଲ ପୁରାପୁରି ଭାଙ୍ଗି ପଡିବା ପୂର୍ବରୁ ଶତ୍ରୁ ସୈନ୍ୟଦଳ ତାହା ଅତିକ୍ରମ କରି ଉଜ୍ଜୟିନୀ ପଟକୁ ଆସିବା ନିମନ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥାନ୍ତି । କିନ୍ତୁ ବିକ୍ରମ ସେମାନଙ୍କୁ ଏଡେ ପ୍ରବଳ ଭାବରେ ବାଧା ଦେଉଥାଏ ଯେ ସେମାନେ ଅଗ୍ରସର ତ ହୋଇପାରୁ ନଥାନ୍ତି, ବରଂ ଅଧିକାଂଶ ପୋଲ ତଳକୁ ଛିଟିକି ପଡି ନଈରେ ଡୁବି ଯାଉଥାନ୍ତି । ଅନ୍ୟ ପାରିରେ ଠିଆ ହୋଇ ରାଜା ମାର୍ତଣ୍ଡ ଆଶ୍ଚର୍ଯ୍ୟ ହୋଇ ବିକ୍ରମର ଯୁଦ୍ଧ କୌଶଳ ଓ ସାହସ ଦେଖୁଥାନ୍ତି । ଅବଶେଷରେ ପୋଲ ଭାଙ୍ଗି ପଡିବା ଅବସ୍ଥାକୁ ଆସିଲା । ସୈନ୍ୟମାନେ ହଟି ପଳାଇଗଲେ । ବିକ୍ରମ ଯୁଦ୍ଧ କରୁ କରୁ ନର୍ମଦାର ଅପର ତଟକୁ ଚାଲିଗଲା ଓ ପୋଲ ଭାଙ୍ଗିଗଲା । ସେତେବେଳକୁ ସେଠାରେ ବିକ୍ରମକୁ ସହାୟତା କରିବାକୁ ତ ତା’ ପଟର ଆଉ କେହି ବି ଯୋଦ୍ଧା ନଥିଲେ । ଏବେ ପୋଲ ଭାଙ୍ଗିଯିବା ପରେ ବି ଫେରି ଆସିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ତେଣୁ ଯୁଦ୍ଧ କରୁ କରୁ ବିକ୍ରମ ଶତ୍ରୁ ହାତରେ ବନ୍ଦୀ ହେଲା । ସେମାନେ ତାକୁ ବନ୍ଦୀମାନଙ୍କ ଶିବୀରକୁ ନେଇଗଲେ ।

                ଅଗ୍ନିପାଖରେ ବସି ରାଜା ମାର୍ତଣ୍ଡ ଓ ତାଙ୍କ ସେନାପତି ଗଳ୍ପ କରୁଥିଲେ । ଠିକ୍ ସେତିକିବେଳେ ସୈନ୍ୟମାନେ ବିକ୍ରମକୁ ବନ୍ଦୀ ଅବସ୍ଥାରେ ଧରି ଆଣି ସେଠାରେ ପହଁଚିଲେ । ଅଗ୍ନିର ଲାଲ୍ ଶିଖାରେ ବିକ୍ରମ ଏକ ବଡ ବୀର ଯୋଦ୍ଧା ପରି ପ୍ରତୀତ ହେଉଥିଲା ।

                ବିକ୍ରମ କହିଲା, “ମୁଁ କାପୁରୁଷ ନୁହେଁ, ପଳାଇବି ନାହିଁ, ମୋର ବନ୍ଧନ ଖୋଲିଦିଅ ।”

ରାଜା ବିକ୍ରମଙ୍କୁ ପଚାରିଲେ “ସ୍ତମ୍ଭ ପଛରେ ଥାଇ ତମେ ମୋର ସୈନିକମାନଙ୍କୁ ସଂହାର କରୁଥିଲ ନା? ତାହେଲେ ତମେ କିପରି ବୀର ପୁରୁଷ ହୋଇପାରିବ?”

ବିକ୍ରମ କହିଲା, “ଆଚ୍ଛା ରାଜନ୍, ତେବେ କ’ଣ ଅଧର୍ମ ଯୁଦ୍ଧର ମଧ୍ୟ କିଛି ନିୟମ ଅଛି?”

ବିକ୍ରମ କଥା ଶୁଣି ରାଜା ପ୍ରଶ୍ନ କଲେ “ମୋ ଯୁଦ୍ଧ ପୁଣି ଅଧର୍ମ ଯୁଦ୍ଧ କିପରି ହେଲା?”

ବିକ୍ରମ ବି ପ୍ରଶ୍ନ କଲା “ଅଧର୍ମ ଯୁଦ୍ଧ ନୁହେଁ? ଆପଣ ଯୁଦ୍ଧ ପାଇଁ ଘୋଷଣା କରିଥିଲେ କି? ଦୂତ ପଠାଇଥିଲେ କି? ପ୍ରଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିବା ବେଳେ ହଠାତ୍ ଆକ୍ରମଣ କରିବା କ’ଣ ଧର୍ମଯୁଦ୍ଧ?”

ତହୁଁ ସେ ରାଜା କହିଲେ “ଅରାଜକ ଦେଶ ପାଇଁ ଯୁଦ୍ଧ ଘୋଷଣାର କୌଣସି ଆବଶ୍ୟକତା ନାହିଁ ।”

ତା’ପରେ ବିକ୍ରମ ଉତ୍ତର ଦେଲା “କିଏ କହିଲା ଆମ ଦେଶ ଅରାଜକ? ଆମ ରାଜା ସ୍ୱୟଂ ପ୍ରଜାମାନେ । ଏହାକୁ ପ୍ରଜାତନ୍ତ୍ର କୁହାଯାଏ ।”

ଏହା ଶୁଣି ସେ ଶତ୍ରୁ ପକ୍ଷର ରାଜା କହିଲେ ପ୍ରଜାତନ୍ତ୍ର ଗୋଟିଏ ରାଜ୍ୟ ନୁହେଁ । ତାହା ବେଶିଦିନ ତିଷ୍ଠିବ ନାହିଁ ।”

ତାଙ୍କ କଥା ଶୁଣି ବିକ୍ରମ କହିଲା “ଆମେ ଆମ ରାଜ୍ୟକୁ ରକ୍ଷା କରିପାରୁ । ବନ୍ଧନ ଖୋଲି ଦିଅନ୍ତୁ । ମୁଁ ଆପଣଙ୍କ ସହିତ କଥା କହିବାକୁ ଚାହେଁ ।”

ବିକ୍ରମର ଦୃଢ କଣ୍ଠ ଓ ନିର୍ଭୟ ଉକ୍ତି ସେ ରାଜାଙ୍କୁ ଖୁବ୍ ଚମତ୍କୁତ କଲା । ଏହାପରେ ରାଜା ତା’ର ବନ୍ଧନ ଖୋଲି ଦେବାକୁ ଆଦେଶ ଦେଲେ ଓ ନିଜ ପାଖରେ ନେଇ ବସାଇଲେ । ରାଜା କହିଲେ, “ତୁମ ଦେଶର ପ୍ରଜାଙ୍କୁ ମୁଁ ଆଖି ପଲକରେ ଧ୍ୱଂସ କରିଦେଇ ପାରେ । ତୁମପରି ଭୀରୁକୁ ମୁଁ ମୋଟେ ଖାତିର୍ କରେ ନାହିଁ । ଯେତେଦିନ ପର୍ଯ୍ୟନ୍ତ ତୁମର ରାଜା ନାହିଁ ସେତେଦିନ ପର୍ଯ୍ୟନ୍ତ ମୁଁ ତୁମ ରାଜ୍ୟକୁ କଦାପି ମଧ୍ୟ ସମ୍ମାନ ଦେଇପାରିବି ନାହିଁ ।”

ତା’ପରେ ବିକ୍ରମ କହିଲା “ମୋ ଦେଶରେ ତ ମୋ ପରି ଓ ମୋଠାରୁ ବି ଅଧିକ ବଳଶାଳୀ ଅନେକ ବୀର ଅଛନ୍ତି । ସେମାନେ ନିଜ ନିଜର ପ୍ରାଣକୁ ଆହୁତି ଦେଇ ଆପଣା ଦେଶକୁ ନିଶ୍ଚୟ ରକ୍ଷା କରିବେ । ସେ ସାହସର ଏକ ନମୁନା ମୁଁ ଏବେ ଆପଣଙ୍କୁ ଦେଖାଉଛି ।” ଏତିକି କହି ବିକ୍ରମ ନିଜର ବାମ ହାତକୁ ଅଗ୍ନିଶିଖା ଉପରେ ରଖିଲା । ଫଳରେ ତା’ ହାତ ଜଳିବାକୁ ଲାଗିଲା । ତଥାପି ମଧ୍ୟ ସେ ନିର୍ବିକାର । ତା’ର କୌଣସି ପ୍ରତିକ୍ରିୟା ନାହିଁ । ଜଳୁଥିବା ହାତକୁ ଚାହିଁ ବିକ୍ରମ କହିଲା, “ଆମେ ସାହସୀ ବୀର । ଆମକୁ ନାନା ପ୍ରକାର ଯାତନା ଦେଇ ଆପଣ ହରାଇ ପାରିବେ ନାହିଁ । ଆମର ପ୍ରଜାତନ୍ତ୍ର ଦ୍ୱାରା ଶାସିତ ରାଜ୍ୟର ରକ୍ଷା ପାଇଁ ଆମେ ନିଜ ପ୍ରାଣକୁ ବି ଅତି ସହଜରେ ବିସର୍ଜନ ଦେଇପାରୁ ।”

ବିକ୍ରମର ଏଭଳି ସାହସ ଓ ଦୃଢତା ଦେଖି ରାଜା ମାର୍ତଣ୍ଡ ବହୁତ ଆଶ୍ଚର୍ଯ୍ୟ ହେଲେ ଓ ତାହାକୁ ମୁକ୍ତ କରିଦେଲେ । ପରଦିନ ରାଜା ମାର୍ତଣ୍ଡ ତାଙ୍କର ସମସ୍ତ ସେନାନୀ ନେଇ ନିଜ ରାଜ୍ୟକୁ ଲେଉଟି ଗଲେ । ଏହିପରି ଭାବେ ଉଜ୍ଜୟିନୀ ବହୁକାଳ ପର୍ଯ୍ୟନ୍ତ ପ୍ରଜାତନ୍ତ୍ର ରୂପେ ରହିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ